Site icon Gramin Express

ଲଗାଣ ବର୍ଷାରେ ଭୁଶୁଡ଼ିଲା ଅନେକ ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ପୀଡ଼ିତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଓ ଆବାସ ଯୋଗାଣ ପାଇଁ ଦାବି

ଜୟପାଟଣା:୨୫/୮: ଗ୍ରାମୀଣ ଏକ୍ସପ୍ରେସ (ଡମ୍ବରୁ ଧର ଦୁର୍ଗା)ଲଗାଣ ବର୍ଷା ଯୋଗୁଁ ଜୟପାଟଣା ବ୍ଲକ ଚିର୍କା ଓ ମୁଖିଗୁଡ଼ା ପଞ୍ଚାୟତ ପତିଗୁଡା ଗ୍ରାମରେ ଅନେକ ପରିବାରଙ୍କ ଘର ଭୁଶୁଡ଼ି ଭାଙ୍ଗି ପଡ଼ିଛି। ଘର ଭାଙ୍ଗି ପଡ଼ିବା ସମୟରେ ପରିବାରର ଅନେକ ସଦସ୍ୟ ଅଳ୍ପକେ ଜୀବନରକ୍ଷା ପାଇଛନ୍ତି। ଏହି ଘଟଣାରେ ବହୁ ଜିନିଷପତ୍ର ନଷ୍ଟ ହୋଇଥିବା ବେଳେ ଗରିବ ପରିବାରଗୁଡ଼ିକ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ଅତ୍ୟନ୍ତ ଅସୁବିଧାରେ ଦିନ କାଟୁଛନ୍ତି।
ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ଅନେକ ଗରିବ ପରିବାରଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଫଳରେ ପୀଡ଼ିତ ପରିବାରଗୁଡ଼ିକ ଦୁଃଖ, ଅସହାୟତା ଓ ଆର୍ଥିକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି।
ଏହି ଖବର ପାଇ ଦକ୍ଷିଣ ଓଡ଼ିଶା ଆଦିବାସୀ ସଂଘର ସଭାପତି ଶ୍ରୀ ଗଙ୍ଗାଧର ମାଝୀ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତ ପରିବାରମାନଙ୍କ ଦୁଃଖ ଓ ସମସ୍ୟା ଶୁଣିଥିଲେ। ବର୍ଷାରେ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ଦ୍ରୋଣ ରାଉତ, ରଞ୍ଜନ ରାଉତ, ସଦାନନ୍ଦ ରାଉତ, ଗଣେଶ ରାଉତ, ଜ୍ୟାମଣି ରାଉତ, ଉମା ରାଉତ , ତାନୁରାମ ଶବର ଏବଂ ଲକ୍ଷ୍ମଣ ରାଉତ ଙ୍କ ପରିବାରର ଦୁର୍ଦ୍ଦଶା ମଧ୍ୟ ଅନୁଧ୍ୟାନ କରିଥିଲେ।
ପୀଡ଼ିତ ପରିବାରମାନଙ୍କୁ ତୁରନ୍ତ ସରକାରୀ ସହାୟତା, ଆବାସ ଏବଂ ଆବଶ୍ୟକ ରିଲିଫ୍ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିକଟରେ ଦକ୍ଷିଣ ଓଡ଼ିଶା ଆଦିବାସୀ ସଂଘର ଶ୍ରୀ ଗଙ୍ଗାଧର ମାଝୀ ବିନମ୍ର ଅନୁରୋଧ ଜଣାଇଛନ୍ତି।
ପୀଡ଼ିତ ଗରିବ ପରିବାରମାନଙ୍କ ଦୁର୍ଦ୍ଦଶା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ସହାୟତାର ହାତ ବଢ଼ାଇବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଯଥାଶୀଘ୍ର ଆବାସ ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

Exit mobile version