Site icon Gramin Express

କଳାହାଣ୍ଡି ଜିଲ୍ଲାର କଳମପୁର ଥାନା ପରିସରରେ “ଇନଭେଷ୍ଟିଂ” କାର୍ଯ୍ୟକ୍ରମ

ଗ୍ରାମୀଣ ଏକ୍ସପ୍ରେସ:-୮/୦୫( ଡମ୍ବରୁ ଧର ଦୁର୍ଗା)ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ କଳମପୁର ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା କିଶୋରୀ ବାଳିକାମାନେ ଓ ଅଙ୍ଗନୱାଡ଼ି କର୍ମୀମାନେ ଯୋଗଦେଇଥିଲେ। ଯୁବ ପିଢ଼ିଙ୍କ ମଧ୍ୟରେ ପୋଲିସ ବ୍ୟବସ୍ଥା ପ୍ରତି ସଚେତନତା ବୃଦ୍ଧି କରିବା ସହିତ ସାଇବର ଅପରାଧ ଓ ମହିଳା ସୁରକ୍ଷା ବିଷୟରେ ଜ୍ଞାନ ଦେବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମ ଅବସରରେ କିଶୋରୀ ବାଳିକାମାନେ କଳମପୁର ଥାନା ପରିଦର୍ଶନ କରିଥିଲେ। ଥାନାର ବିଭିନ୍ନ ବିଭାଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ପୋଲିସ କିପରି ସାଧାରଣ ଲୋକଙ୍କ ସୁରକ୍ଷା ଓ ସେବାରେ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ବିଭିନ୍ନ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ସହିତ ମହିଳା ଓ ଶିଶୁ ସୁରକ୍ଷା କକ୍ଷ ପରିଦର୍ଶନ କରି ସେଠାରେ ମିଳୁଥିବା ସହାୟତା ସମ୍ପର୍କରେ ମଧ୍ୟ ଜାଣିଥିଲେ।କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା ଭିଡିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ସହ କିଶୋରୀ ବାଳିକାମାନଙ୍କର ବାର୍ତ୍ତାଳାପ। ଏହି ସମୟରେ ପୋଲିସ ଅଧିକାରୀମାନେ ଛାତ୍ରୀମାନଙ୍କୁ ନିର୍ଭୟ ହୋଇ ସମାଜରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ସେମାନେ ସାଇବର ଠକେଇ, ଅନଲାଇନ୍ ଫ୍ରଡ୍, ମୋବାଇଲ ଠକେଇ ଓ ସୋସିଆଲ ମିଡିଆର ଦୁରୁପଯୋଗ ସମ୍ପର୍କରେ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ।ଏହା ପରେ ସାଇବର କ୍ରାଇମ ସମ୍ପର୍କିତ ଏକ ସଚେତନତା ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଭିଡିଓ ମାଧ୍ୟମରେ ସାଇବର ଅପରାଧୀମାନେ କିପରି ଲୋକଙ୍କୁ ଠକୁଛନ୍ତି ଓ ସେଥିରୁ କିପରି ସତର୍କ ରହିବା ଆବଶ୍ୟକ, ସେନେଇ ବିସ୍ତୃତ ତଥ୍ୟ ଦିଆଯାଇଥିଲା। ବିଶେଷକରି କିଶୋରୀମାନଙ୍କୁ ଅଜଣା ଫୋନ୍ କଲ୍, ଅନଲାଇନ୍ ଲିଙ୍କ୍ ଓ ସନ୍ଦିଗ୍ଧ ମେସେଜ୍‌ ପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ କଳମପୁର ଥାନା ଅଧିକାରୀ ଶୁନିଲୋ କଣ୍ଡାଗୋରୀ, ଏସ୍‌ଆଇ ଶିବଶଙ୍କର ମହାନ୍ତି, ଏଏସ୍‌ଆଇ ଅଶିତ କୁମାର ପଣ୍ଡା ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତେ ମିଶି କିଶୋରୀ ବାଳିକାମାନଙ୍କୁ ସଚେତନ ଓ ଆତ୍ମବିଶ୍ୱାସୀ ହେବା ପାଇଁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିବା ବେଳେ ଏପରି ପଦକ୍ଷେପ ସମାଜରେ ସଚେତନତା ବୃଦ୍ଧିରେ ସହାୟକ ହେବ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।

Exit mobile version